Hosea 5

ଇସ୍ରାଏଲ ଓ ଯିହୁଦାର ଶାସ୍ତି

1ହେ ଯାଜକଗଣ, ଏହା ଶୁଣ, ହେ ଇସ୍ରାଏଲ ବଂଶ, ମନୋଯୋଗ କର,
ହେ ରାଜବଂଶ, କର୍ଣ୍ଣପାତ କର, କାରଣ ବିଚାର ତୁମ୍ଭମାନଙ୍କ ସମ୍ବନ୍ଧୀୟ;
ତୁମ୍ଭେମାନେ ମିସ୍ପାରେ ଫାନ୍ଦ ସ୍ୱରୂପ ଓ ତାବୋରରେ ପ୍ରସାରିତ ଜାଲ ସ୍ୱରୂପ ହୋଇଅଛ।
2ପୁଣି, ଅତ୍ୟାଚାରୀମାନେ ହତ୍ୟା କରିବାରେ ଗଭୀରକୁ ଯାଇଅଛନ୍ତି;
ମାତ୍ର ଆମ୍ଭେ ସେହି ସମସ୍ତଙ୍କର ଅନୁଯୋଗକାରୀ ଅଟୁ।

3ଆମ୍ଭେ ଇଫ୍ରୟିମକୁ ଜାଣୁ ଓ ଇସ୍ରାଏଲ ଆମ୍ଭର ଅଗୋଚର ନୁହେଁ;

କାରଣ ହେ ଇଫ୍ରୟିମ, ତୁମ୍ଭେ ଏବେ ବେଶ୍ୟାବୃତ୍ତି କରିଅଛ, ଇସ୍ରାଏଲ ଅଶୁଚି ହୋଇଅଛି।
4ସେମାନଙ୍କର କ୍ରିୟାସକଳ ସେମାନଙ୍କୁ
ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟକୁ ଫେରିବାକୁ ଦେବ ନାହିଁ;
କାରଣ ସେମାନଙ୍କ ଅନ୍ତରରେ ବ୍ୟଭିଚାରର ଆତ୍ମା ଅଛି
ଓ ସେମାନେ ସଦାପ୍ରଭୁଙ୍କୁ ଜାଣନ୍ତି ନାହିଁ।

5ପୁଣି, ଇସ୍ରାଏଲର ଦର୍ପ ତାହାର ମୁଖ ଆଗରେ ସାକ୍ଷ୍ୟ ଦିଏ;

ଏଥିପାଇଁ ଇସ୍ରାଏଲ ଓ ଇଫ୍ରୟିମ ଆପଣାମାନଙ୍କ ଅଧର୍ମରେ ଝୁଣ୍ଟି ପଡ଼ିବେ।
6ସେମାନେ ଆପଣାମାନଙ୍କର ମେଷପଲ ଓ ଗୋପଲ ଘେନି ସଦାପ୍ରଭୁଙ୍କର ଅନ୍ଵେଷଣ କରିବା ପାଇଁ ଯିବେ;
ମାତ୍ର ତାହାଙ୍କର ଉଦ୍ଦେଶ୍ୟ ପାଇବେ ନାହିଁ;
କାରଣ ସେ ସେମାନଙ୍କ ନିକଟରୁ ଚାଲି ଯାଇଅଛନ୍ତି।
7ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଶ୍ୱାସ ଘାତକତା କରିଅଛନ୍ତି;
କାରଣ ସେମାନେ ଅବୈଧ ସନ୍ତାନ ଉତ୍ପନ୍ନ କରିଅଛନ୍ତି;
ଏବେ ଅମାବାସ୍ୟା ସେମାନଙ୍କୁ ଓ ସେମାନଙ୍କ କ୍ଷେତ୍ରସବୁକୁ ଗ୍ରାସ କରିବ।

8ତୁମ୍ଭେମାନେ ଗିବୀୟାରେ ଶିଙ୍ଗା ଧ୍ୱନି କର,

ରାମାରେ ତୂରୀ ବଜାଅ;
ବେଥ୍-ଆବନରେ ଭୟାନକ ସିଂହନାଦ କର;
ତୁମ୍ଭ ପଛେ, ହେ ବିନ୍ୟାମୀନ୍,
9ଭର୍ତ୍ସନା ଦିନରେ ଇଫ୍ରୟିମ ଧ୍ୱଂସର ସ୍ଥାନ ହେବ; ଯାହା ନିଶ୍ଚୟ ଘଟିବ,
ତାହା ଆମ୍ଭେ ଇସ୍ରାଏଲ ଗୋଷ୍ଠୀମାନଙ୍କ ମଧ୍ୟରେ ଜ୍ଞାତ କରାଇଅଛୁ।

10ଯେଉଁମାନେ ସୀମାର ଚିହ୍ନ ଘୁଞ୍ଚାନ୍ତି, ଯିହୁଦାର ଅଧିପତିଗଣ ସେମାନଙ୍କ ତୁଲ୍ୟ ହୋଇଅଛନ୍ତି;

ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଜଳ ପରି ଢାଳିବା।
11ଇଫ୍ରୟିମ ସନ୍ତୁଷ୍ଟ ହୋଇ ମନୁଷ୍ୟର ଆଜ୍ଞାନୁସାରେ ଚାଲିଥିବାରୁ
ସେ ଉପଦ୍ରବଗ୍ରସ୍ତ ହୋଇଅଛି ଓ ବିଚାରରେ କଷ୍ଟ ପାଇଅଛି।

12ଏଥିସକାଶୁ ଆମ୍ଭେ ଇଫ୍ରୟିମ ପକ୍ଷରେ କୀଟ ସ୍ୱରୂପ

ଓ ଯିହୁଦା ବଂଶ ପକ୍ଷରେ କ୍ଷୟ ସ୍ୱରୂପ ହୋଇଅଛୁ।
13ଯେତେବେଳେ ଇଫ୍ରୟିମ ଆପଣା ରୋଗ ଓ ଯିହୁଦା ଆପଣା କ୍ଷତ ଦେଖିଲା,
ସେତେବେଳେ ଇଫ୍ରୟିମ ଅଶୂରୀୟର ନିକଟକୁ ଗଲା
ଓ ଯାରେବ ରାଜା ନିକଟକୁ ଲୋକ ପଠାଇଲା;
ମାତ୍ର ସେ ତୁମ୍ଭମାନଙ୍କୁ ସୁସ୍ଥ କରିବାକୁ ସକ୍ଷମ ନୁହେଁ,
କିଅବା ସେ ତୁମ୍ଭମାନଙ୍କର କ୍ଷତ ଆରୋଗ୍ୟ କରିବ ନାହିଁ।

14କାରଣ ଆମ୍ଭେ ଇଫ୍ରୟିମ ପ୍ରତି ସିଂହ ତୁଲ୍ୟ

ଓ ଯିହୁଦା ବଂଶ ପ୍ରତି ଯୁବା ସିଂହ ତୁଲ୍ୟ ହେବା।
ଆମ୍ଭେ, ଆମ୍ଭେ ହିଁ ବିଦୀର୍ଣ୍ଣ କରି ଚାଲି ଯିବା;
ଆମ୍ଭେ ସେମାନଙ୍କୁ ଟାଣି ଦୂରକୁ ନେଇ ଯିବା ଓ ଉଦ୍ଧାର କରିବା ପାଇଁ କେହି ନ ଥିବ।
ସେମାନେ ଆପଣା ଆପଣା ଅପରାଧ ସ୍ୱୀକାର କରି
ଆମ୍ଭର ମୁଖ ଅନ୍ଵେଷଣ ନ କରିବା ପର୍ଯ୍ୟନ୍ତ ଆମ୍ଭେ ଫେରି ଆପଣା ସ୍ଥାନକୁ ଯିବା;
ସେମାନେ ଆପଣାମାନଙ୍କର ଦୁଃଖ ସମୟରେ ଆନ୍ତରିକ ଭାବରେ ଆମ୍ଭର ଅନ୍ଵେଷଣ କରିବେ।
15

Copyright information for OriULB